ଡ୍ରାଇଭରକୁ ମାଡ ପ୍ରତିବାଦରେ ରାସ୍ତାରୋକ

ବାସୁଦେବପୁର (RNI) ବାସୁଦେବପୁର ରାସ୍ତାରେ କେତେକ ଅସାମାଜିକ ଯୁବକ ଆତଙ୍କରାଜ ଖେଳାଉଛନ୍ତି । ଦାଦାବଟି ନଦେଲେ ନିଜ ପତିଆରା ଦେଖାଇ ମାଡ ମାରିବା ପରି ଘଟଣା ପାରାପୋଖରୀ ଠାରେ ନିତିଦିନିଆ ଘଟଣା ହେବାକୁ ଲାଗିଲାଣି ବୋଲି ସ୍ଥାନୀୟ ଲୋକେ ଅସହାୟତା ପ୍ରକାଶ କରି ଜଣାଇଛନ୍ତି । ଅଭିଯୋଗ ମୁତାବକ, ଦୁଇଗୋଟି ଟ୍ରକ କଲିକତାରୁ ଧାମରା ଅଭିମୁଖେ ଆସୁଥିବା ସମୟରେ କଷିଆ ସାମୁଦ୍ରିକ ଥାନା ଅଧିନ ପାରାପୋଖରୀ ଛକ ଠାରେ ଟ୍ରକକୁ ଅଟକାଇ ଚାନ୍ଦା ମାଗିଥିଲେ । ଦୁଇଜଣ ଡ୍ରାଇଭର ଚାନ୍ଦା ଦେବାରେ ଅସମର୍ଥ ହୋଇଥିବା କାରଣରୁ ଦୁଇଜଣ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗାଡି ଭାଙ୍ଗିଥିବାକୁ ନେଇ ଶୁକ୍ରବାର କଷିଆ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗ ପାଇବା ପରେ ପୋଲିସ ହାତବାନ୍ଧି ବସିବା କାରଣରୁ ଜନଅସନ୍ତୋଷ ଦେଖାଦେଇଥିଲା । ଯହାକୁ ନେଇ ଆଜି ପାରାପୋଖରୀ ଛକଠାରେ ସକାଳ ନଅଟା ସମୟରେ ଟାୟାରଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଆଡିସିନାଲ ଏସପି ଅଂଶୁମାନ ଦ୍ୱିବେଦୀ, ସଦର ଏସଡିପିଓ ବିଚିତ୍ରାନନ୍ଦ ସେଠୀ,ନାଇକାଣିଡିହ ଥାନାଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ । ଏହି ସମୟରେ ସ୍ଥାନୀୟଲୋକେ ମାମଲା ଋଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାନକୃଷ୍ନପୁର ପଞ୍ଚାୟତର କୈଳାସ ବେହେରାଙ୍କ ପୁଅ ଗୋବର୍ଦ୍ଧନ ବେହେରାଙ୍କୁ ଗିରଫ ଦାବୀ କରିଥିଲେ । ଯଥାଶିଘ୍ର ଗୋବର୍ଦ୍ଧନକୁ ଗିରଫ କରାଯିବ ବୋଲି ପ୍ରତିଶଋତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X
What's Your Reaction?






